ଭୁବନେଶ୍ୱର,୦୪/୦୫: ମେଡିକାଲ ନାମଲେଖା ପାଇଁ ନିଟ୍‌-ୟୁଜି ପରୀକ୍ଷା ଆଜି କରାଯାଉଛି । ଏନେଇ ସାରା ଦେଶରେ ୫୪୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଦେଶ ବାହାରେ ୧୩ଟି ସହରରେ ପରୀକ୍ଷା ମଧ୍ୟ କରାଯାଉଛି । ରବିବାର ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ଅନୁଷ୍ଠିତ ହେବ । ସାରା ଦେଶରେ ୨୨.୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅନ୍ୟପଟେ ନିଟ୍‌-ୟୁଜି ପରୀକ୍ଷା ନେଇ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହେଉଛି । ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ଖବର ଘୂରି ବୁଲୁଛି । ଏଥିରୁ ଦୂରେଇ ରହିବାକୁ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ପରାମର୍ଶ ଦିଆଯାଇଛି । 

ଏନ୍‌ଟିଏ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି, ନିଟ୍‌-ୟୁଜି ପରୀକ୍ଷାକୁ ନେଇ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ମିଛ ଖବର ଆସୁଛି । ସମ୍ଭାବ୍ୟ ପ୍ରଶ୍ନଠୁ ଆରମ୍ଭ କରି ସିଟ୍‌ ବିକ୍ରି ଭଳି ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି । ଏହାକୁ ଆଧାର କରି ନିଟ୍‌-ୟୁଜି ପକ୍ଷରୁ ସାଇବର କେସ୍‌ କରାଯାଇଛି । ଯେଉଁଥିରେ ୧୬୫ଟି ଟେଲିଗ୍ରାମ ଆକାଉଣ୍ଟ ଓ ୩୨ଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମିଥ୍ୟା ଖବର ଆସିଥିବା ନେଇ ନଜର ଆସିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଗୁଜରାଟର ରାଜକୋଟ୍‌ରେ ମାର୍କ ବଢ଼ାଇବା ପାଇଁ ଟଙ୍କା କାରବାର ହୋଇଥିବା ଅଭିଯୋଗ ମିଳିଛି । ତେଣୁ ନିଟ୍‌-ୟୁଜି ପରୀକ୍ଷାର୍ଥୀ ମାନେ କୌଣସି ଦଲାଲଙ୍କ ପ୍ରଲୋଭନର ଶିକାର ନହୋଇ ଟଙ୍କା କାରବାର ନକରିବାକୁ ପରାମର୍ଶ ଦିଆଯାଇଛି ।